Unknown

 

 

 

 

 

 

 

 

 

 

 

ବିର୍ସା ମୁଣ୍ଡା

ବାସୁଦେବ ସୁନାନୀ

 

ଭାରତବର୍ଷର ଇତିହାସକୁ ଅବଲୋକନ କଲେ ଜଣାପଡ଼େ ଯେ ଏଠିକାର ମୂଳ ବାସିନ୍ଦା ବା ସ୍ଥାୟୀ ଜନମାନସ ଅନ୍ୟ ବିଦେଶୀ ଶାସକବର୍ଗଙ୍କଦ୍ଵାରା ଯେତିକି ଉପେକ୍ଷିତ ଓ ଶୋଷିତ ହୋଇଛି ତା’ଠୁ ନିଜ ଦେଶର ଶାସକ ତଥା ଉଚ୍ଚବର୍ଗଙ୍କଦ୍ଵାରା ଅଧିକ ଉପେକ୍ଷିତ ଓ ଶୋଷିତ ହୋଇଛି । ରାଜନୀତି ନାଁରେ, ଧର୍ମ ନାଁରେ, ଜାତି ନାଁରେ ଏ ଶୋଷଣର ପରମ୍ପରା କାହିଁ ଆଦିମକାଳରୁ ଅନବରତ ଚାଲି ଆସୁଛି, ଆଜିଯାଏଁ ତାହା ପ୍ରଖର ଗତିଶୀଳ ହୋଇରହିଛି ।

 

ଶୋଷଣ ଯେତେ ମାତ୍ରାରେ ଚାଲିଛି ସେଇ ଅନୁରୂପରେ ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ସମୟରେ ପ୍ରତିବାଦ ମଧ୍ୟ ଦେଖାଦେଇଛି । ସମସ୍ତ ଶୋଷଣ ପ୍ରକ୍ରିୟା ଓ ପ୍ରତିବାଦକୁ ଏଇଠି ଦେଖେଇବା ସମ୍ଭବ ନୁହେଁ । ଅତଏବ ୧୮୫୭ ମସିହାରେ ସିପାହୀ-ବିଦ୍ରୋହର ହାରାହାରି ୪୦ ବର୍ଷ ପରର ସାମାଜିକ, ଧାର୍ମିକ ଓ ରାଜନୈତିକ ବିଦ୍ରୋହ; ଯାହାର ନେତୃତ୍ୱ ନେଇଥିଲେ ମହାନ ସଂଗ୍ରାମୀ ବିର୍ସା ମୁଣ୍ଡା, ସେଇ ସମ୍ପର୍କରେ ସମ୍ୟକ ଆଲୋଚନା ରଖିବା ।

 

ମୋଗଲ ସାମ୍ରାଜ୍ୟର ପତନ ପରେ ମହାରାଜା, ରାଜା, କରଦରାଜା, ଜମିଦାରମାନେ ସ୍ଵତନ୍ତ୍ର ହୋଇଗଲେ । ସେତେବେଳେ ତାଙ୍କର ସ୍ଵେଚ୍ଛାଚାରିତା ୧୮୫୭ ପୁର୍ବରୁ ବହୁମାତ୍ରାରେ ବଢ଼ିଯାଇଥିଲା । ରାଜକୀୟ ଜୀବନ ପ୍ରଣାଳୀକୁ ଆହୁରି ସୁଖଦ, ସରସ, ସୁନ୍ଦର ଓ ଗରିମାମୟ କରିବା ନିମନ୍ତେ ଜନସାଧାରଣଙ୍କଠାରୁ ଅତିମାତ୍ରାରେ କର ଆଦାୟ, ଅନୀତି ପ୍ରୟୋଗ, ଶ୍ରମ ଶୋଷଣ ଏସବୁ ଏକ ସାଧାରଣ ଘଟଣାରେ ପରିଣତ ହୋଇଥିଲା । ଏଥି ସହ ମହାରାଜା, ରାଜା, କରଦ ରାଜା, ଜମିଦାରମାନଙ୍କ ମଧ୍ୟରେ ବି ସମନ୍ୱୟ ନଥିବା ହେତୁ ନିଜ ନିଜ ମଧ୍ୟରେ ଶତ୍ରୁତା ଆଚରଣ ସ୍ଵାଭାବିକ ଭାବେ ବୃଦ୍ଧି ଘଟିଥିଲା । ସେଇ ସାମାଜିକ ଓ ରାଜନୈତିକ ଅବସ୍ଥାର ସୁଯୋଗ ନେଇ ଭାରତକୁ ବ୍ୟବସାୟ କରିବାକୁ ଆସିଥିବା ଇଷ୍ଟ୍‍-ଇଣ୍ଡିଆ କମ୍ପାନୀ “ବ୍ରିଟିଶ ରାଜ” ନାମରେ ନିଜର ପତିଆରା ସୃଷ୍ଟିକରି ଦେଶକୁ ଶାସନ କରିବା ଆରମ୍ଭ କଲା ।

 

ବ୍ରିଟିଶ ରାଜର ଉଦ୍ଦେଶ୍ୟ ଭାରତରେ ସୁଶାସନ ପ୍ରତିଷ୍ଠା ପାଇଁ ନଥିଲା । ବରଂ ଏଠିକାର ସମ୍ପତ୍ତିକୁ ଠୁଳକରି ନିଜ ଦେଶକୁ ଚାଲାଣ କରିବାର ବ୍ୟବସାୟିକ ମନୋବୃତ୍ତି ସ୍ପଷ୍ଟ ପ୍ରତୀୟମାନ ହେଉଥିଲା ।

 

ଏଇ ସଙ୍କଟ ପରିସ୍ଥିତିରେ ରାଞ୍ଚିଠାରୁ ହାରାହାରି ୬୦ କିଲୋମିଟର ଦୂରତାରେ ଥିବା ଏକ ଛୋଟିଆ ଗାଁ ଉଳିହାତୁରେ ବିର୍ସା ମୁଣ୍ଡା ଜନ୍ନଗ୍ରହଣ କରିଥିଲେ । ବିର୍ସା ମୁଣ୍ଡାଙ୍କ ବାପାଙ୍କ ନାଁ ଥିଲା ସୁଗନା ମୁଣ୍ଡା ଏବଂ ମାଁଙ୍କର ନାଁ ଥଲା କର୍ମୀ । ଗାଁରେ ନିଜ ପରିଶ୍ରମ ବଳରେ ବିଲକାମ କରି ସୁଗନା ଓ କର୍ମୀ ନିଜର ପରିବାର ପ୍ରତିପୋଷଣ କରୁଥିଲେ । ବିର୍ସା ଜନ୍ମହେବା ପୂର୍ବରୁ ସୁଗନା ଓ କର୍ମୀର ଗୋଟିଏ ପୁଅ ଓ ଦି’ ଟି ଝିଅ ଜନ୍ମ ନେଇସାରିଥିଲେ ।

 

୧୫ ନଭେମ୍ବର ୧୮୭୫ ମସିହାରେ ବିର୍ସାଙ୍କର ଜନ୍ମ ହୋଇଥିଲା ବୃହସ୍ପତିବାର ବା ଗୁରୁବାରରେ ଜନ୍ମ ହେଇଥିବାରୁ ବାଳକର ନାଁ ମୁଣ୍ଡାମାନଙ୍କ ରୀତି ଅନୁଯାୟୀ “ବିର୍ସା” ରଖାଯାଇଥିଲା ।

 

ଛୋଟନାଗପୁର ଅଞ୍ଚଳ ବିର୍ସାଙ୍କ ପୂର୍ବପୁରୁଷଙ୍କ ନାଁ ଅନୁଯାୟୀ ନାମକରଣ କରାଯାଇଥିଲା ବୋଲି କୁହଯାଏ । ଲୋକକଥାରେ ଅଛି ଯେ ବିର୍ସାଙ୍କ ପୂର୍ବପୁରୁଷମାନେ ପୂର୍ତି ବଂଶଧର ଥିଲେ । ପୂର୍ବକାଳରେ ଛୁଟୁ ହରାମ ଓ ନଗୁ ନାମକ ଦୁଇଭାଇ ଥିଲେ । ସେମାନେ ଜଙ୍ଗଲ ଜଙ୍ଗଲ ବୁଲୁଥିଲେ ବାସସ୍ଥାନର ଖୋଜରେ । ଥରେ ଗୋଟିଏ ନଦୀତଟରେ ଆସି ପହଞ୍ଚିଲେ-। ନଦୀତଟରେ ଠିଆହୋଇ ଦେଖିଲେ ଯେ ଗୋଟିଏ କାଠଗଣ୍ଡି ପାଣିରେ ଭାସିଯାଉଛି-। ସେଇ କାଠଗଣ୍ଡିକୁ ସାହାରା କରି ଛୁଟୁ ସମେତ ସମସ୍ତେ ନଦୀ ପାର ହେଇଗଲେ । ପରେ କାଠଗଣ୍ଡିକୁ ବାହାରକୁ ଟାଣିଆଣି ଦେଖିଲେ ଯେ ସେଇ ଗଣ୍ଡିର ଫାଙ୍କ ମଧ୍ୟରେ ଗୋଟିଏ ମୂଷା ଅଛି-। ମୂଷାକୁ ଶୁଭ ଲକ୍ଷଣ ମନେକରି ପୂଜା କଲେ । ଛୁଟୁର ନେତୃତ୍ୱରେ ସମସ୍ତେ ସେଇ ସ୍ଥାନରେ ବସା ବାନ୍ଧିବାରୁ ସେଇ ବଂଶକୁ ଚୁଟିଆ ପୂର୍ତି କୁହାଗଲା । ପରବର୍ତୀ ସମୟରେ ସେଇ “ଚୁଟିଆ” ଶବ୍ଦ “ଛୋଟ” ହେଇ “ନାଗ” ଅନୁସାରେ ନାଗପୁର ହୋଇ ସମ୍ପ୍ରତି “ଛୋଟ ନାଗପୁର” ଭାବରେ ପରିଚିତ ହେଲା । ଅତଏବ ଛୋଟ ନାଗପୁର ଅଞ୍ଚଳ, ବିର୍ସାଙ୍କ ଉଭୟ ରକ୍ତଗତ ଓ ବଂଶଗତ ସମ୍ପର୍କଦ୍ଵାରା ସମ୍ପର୍କିତ ଅଟେ ।

 

ବିର୍ସାଙ୍କର ଆଦ୍ୟଶିକ୍ଷା ଆରମ୍ଭ ହୋଇଥିଲା ଏକ ମିସିନାରୀ ଖ୍ରୀଷ୍ଟିୟାନ ବିଦ୍ୟାଳୟରେ । ଖ୍ରୀଷ୍ଟିୟାନ ମିସିନାରୀ ବିଦ୍ୟାଳୟରେ ପଢ଼ିବାପାଇଁ ଦାଖଲ ହେବାକୁ ହେଲେ ସର୍ବନିମ୍ନ ଯୋଗ୍ୟତା ଥିଲା ସେଇ ଛାତ୍ରଟି ଖ୍ରୀଷ୍ଟିୟାନ ହୋଇଥିବାର ଆବଶ୍ୟକତା ଥିଲା । ଅବଶ୍ୟ ବିର୍ସାଙ୍କ ବାପା ସୁଗନା ମୁଣ୍ଡା ପୂର୍ବରୁ ଖ୍ରୀଷ୍ଟିୟାନ ଧର୍ମରେ ଦୀକ୍ଷିତ ହୋଇସାରିଥିଲେ । ଫଳରେ ବିର୍ସାଙ୍କୁ ଖ୍ରୀଷ୍ଟିୟାନ ସ୍କୁଲରେ ଭର୍ତ୍ତି କରିବାର ସୁଯୋଗ ପାଇଥିଲେ । ଖ୍ରୀଷ୍ଟିୟାନ ଧର୍ମରେ ଦୀକ୍ଷିତ ହେବାପରେ ବିର୍ସାଙ୍କର ନାଁ ଦାଉଦ ବିର୍ସା ବା ବିର୍ସା ଡେଭିଡ଼ ନାମରେ ନାମିତ ହୋଇଥିଲା । ବିର୍ସାର ବାପା ଚାହୁଁଥିଲେ ଯେ ବିର୍ସା ଉଚ୍ଚଶିକ୍ଷା ଲାଭକରୁ ଏବଂ ସେଇଥପାଇଁ ତାକୁ ଯେଉଁ ମୂଲ୍ୟ ଦେବାକୁ ପଡ଼ିଲେ ବି ସିଏ ଦେବାକୁ ପ୍ରସ୍ତୁତ ଥିଲେ ।

 

ବିର୍ସାର ବାପା କିଛି ପଇସା ସଂଗ୍ରହକରି ଉଚ୍ଚଶିକ୍ଷା ପାଇଁ ଚାଇବାସା ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପଠେଇଥିଲେ । ସେଇଠି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସଞ୍ଚାଳକ ଥିଲେ ଜଣେ ଜର୍ମାନ୍‍ ଖ୍ରୀଷ୍ଟିୟାନ ମିସନାରୀ କର୍ମକର୍ତ୍ତା । ସେଇ ଅନୁଷ୍ଠାନର ଅଧ୍ୟକ୍ଷ ଥିଲେ ଜଣେ ପାଦ୍ରୀ ଯାହାଙ୍କର ନାଁ ଥିଲା ଲୁଥରାନ । ସେଇଠି ବିର୍ସା ହଷ୍ଟେଲରେ ରହି ପାଠ ପଢ଼ିବା ଆରମ୍ଭ କରିଥିଲେ-

ଏଇ ଖ୍ରୀଷ୍ଟିୟାନ ପରିଚାଳିତ ବିଦ୍ୟାଳୟର ବିଶେଷତ୍ଵ ଥିଲା ଯେ ସେମାନେ ଆଦିବାସୀ ବାଳକମାନଙ୍କୁ ଖ୍ରୀଷ୍ଟିୟାନ ସଂସ୍କୃତିର ମହତ୍ତ୍ଵ ବୁଝେଇବା ସହ ଆଦିବାସୀ ସଂସ୍କୃତି କେମିତି ଅନ୍ଧବିଶ୍ଵାସ ଉପରେ ଆଧାରିତ ତାହା ବୁଝାଇ ଶିକ୍ଷା ଦେଉଥିଲେ । ସେମାନେ ଏଇ ତୁଳନାତ୍ମକ ଶିକ୍ଷାଦେବା ପଛର ମୂଳ ଉଦ୍ଦେଶ୍ୟ ଯେ ପାଠ ପଢ଼ିସାରିଲା ପରେ ଆଦିବାସୀ ପିଲେ ଯେମିତି ପୁନଃ ଆଦିବାସୀ ସଂସ୍କୃତିକୁ ଫେରି ନଯାଆନ୍ତୁ । ଏ ସମସ୍ତଙ୍କୁ ସବୁଦିନ ପାଇଁ ଖ୍ରୀଷ୍ଟିୟାନ କରି ରଖିବାର ପ୍ରଯତ୍ନ ନେଉଥିଲେ । ହେଲେ ବିର୍ସାର ଆଦ୍ୟକାଳ ଆଦିବାସୀ ସଂସ୍କୃତି ଭିତରେ ବଢ଼ିଛି ତେଣୁ ଗୀତ ଗାଇବା, ମଲ୍ଲ ଯୁଦ୍ଧକରିବା, କୁସ୍ତୀ କରିବା, ଅସ୍ତ୍ରଶସ୍ତ୍ର ଧରିବା, ଯୁଦ୍ଧ କରିବା ଇତ୍ୟାଦି ଉପରେ ରୁଚି ରଖୁଥିଲେ ।

ବିର୍ସା ସନ ୧୮୮୬ ରୁ ୧୮୯୦ ପର୍ଯନ୍ତ ମିଶନାରୀ । ସ୍କୁଲରେ ଉଚ୍ଚ ଶିକ୍ଷା ପାଇଥିଲେ-। ଏଇ ସମୟ ଖଣ୍ଡରେ ସିଏ ସବୁବେଳେ ଖ୍ରୀଷ୍ଟଧର୍ମ ସହ ହିନ୍ଦୁଧର୍ମର ତୁଳନାତ୍ମକ ବିଶ୍ଳେଷଣ ଶୁଣିବା ସହ ହିନ୍ଦୁଧର୍ମ ଖ୍ରୀଷ୍ଟଧର୍ମଠାରୁ ବହୁତ ଭଲ ବୋଲି ବାରମ୍ବାର ଶୁଣୁଥିଲେ ହେଲେ ସେଇ ଯୁକ୍ତିକୁ ସହଜରେ ଗ୍ରହଣ କରିପାରୁନଥିଲେ ।

ବିର୍ସାଙ୍କ ବିଚାରରେ କୌଣସି ଧର୍ମ ଖରାପ ନୁହେଁ । ଖ୍ରୀଷ୍ଟଧର୍ମ ବି ଖରାପ ନୁହେଁ ବା ହିନ୍ଦୁଧର୍ମ ବି ଖରାପ ନୁହେଁ । ସ୍କୁଲରେ ଏହା ମଧ୍ୟ ଶିକ୍ଷା ଦେଉଥିଲେ ଯେ ଖ୍ରୀଷ୍ଟଧର୍ମ ଗ୍ରହଣ କରିବା ପରେ ଆଦିବାସୀମାନଙ୍କ ଆର୍ଥିକ ତଥା ସାମାଜିକ ସ୍ଥିତିରେ ସୁଧାର ଆସିବ ।

 

ପାଦ୍ରୀମାନେ ଜାଣିଥିଲେ ଯେ ଅଳ୍ପ ପଇସା ବିନିମୟରେ ଜମିଦାରମାନେ ଅଦିବାସୀମାନଙ୍କ ଜମିକୁ ହଡ଼ପ କରି ସେମାନଙ୍କୁ ଭୂମିହୀନ ଶ୍ରମିକ ଭାବରେ ଉକ୍ତ ଜମିରେ ଖଟାଉଛନ୍ତି ଫଳରେ ଆଦିବାସୀମାନେ ଭୋକ ଉପାସରେ ରହି ଦୁର୍ଦ୍ଦଶାଗ୍ରସ୍ତ ଜୀବନ ବିତାଉଛନ୍ତି ।

 

ଏହାମଧ୍ୟ ପାଦ୍ରୀମାନଙ୍କୁ ଜଣାଥିଲା ଯେ ଆଦିବାସୀମାନେ ମାଟିକୁ ମାଁ ବୋଲି ଡାକନ୍ତି । ମାଟି ମାଁପାଇଁ ପ୍ରାଣ ଦେବାକୁ ମଧ୍ୟ ପଛେଇବେ ନାହିଁ । ଅତଏବ ଏଭଳି ସ୍ଥିତିର ଫାଇଦା ନେଇ ଆଦିବାସୀ ଛାତ୍ରମାନଙ୍କୁ ପରାମର୍ଶ ଦେଉଥିଲେ ଯେ ସେମାନେ ଖ୍ରୀଷ୍ଟଧର୍ମ ଗ୍ରହଣ କଲେ ଖ୍ରୀଷ୍ଟୀୟାନ ପାଦ୍ରୀମାନେ ତାଙ୍କର ଜମିକୁ ସାହୁକାରମାନଙ୍କଠାରୁ ମୁକୁଳେଇ ଆଦିବାସୀମାନଙ୍କୁ ଫେରେଇଦେବେ । ଏଇ ଜମି ଲୋଭରେ ଅନେକ ଛାତ୍ର ଖ୍ରୀଷ୍ଟୀୟାନ ଧର୍ମରେ ଦିକ୍ଷୀତ ହୋଇଥିଲେ-

 

ଏହିପରି ଭାବରେ ବିଚାର କଲେ ଆଦିବାସୀମାନେ ଦୁଇ ଗୋଷ୍ଠିଦ୍ଵାରା ସମଭାବରେ ଶୋଷଣର ଶିକାର ହେଉଥିଲେ । ଜମିଦାରମାନେ ତାଙ୍କର ଜମିକୁ ହଡ଼ପ କରି ଆର୍ଥକ ଶୋଷଣ କରୁଥିବାବେଳେ ଜମିକୁ ପୁଣି ତାଙ୍କୁ ଫେରେଇଦେବାର ପ୍ରଲୋଭନ ଦେଖେଇ ଖ୍ରୀଷ୍ଟୀୟାନ ପାଦ୍ରୀମାନେ ତାଙ୍କର ମାନସିକ ତଥା ଧାର୍ମିକ ଶୋଷଣ କରିବାରେ ନିମଜ୍ଜି ରହିଥିଲେ ।

 

ଏଭଳି ଶୋଷଣର ଚାତୁରୀ ମୁଣ୍ଡାମାନଙ୍କ ସରଦାରମାନଙ୍କ ଗୋଚରକୁ ଆସିଯାଇଥିଲା-। ସେମାନେ ଶୋଷଣକାରୀଙ୍କ ଛଳ କପଟକୁ ବୁଝିପାରିଥିଲେ ହେଲେ ଖୋଲାଖୋଲି ପ୍ରତିବାଦ କରିବାର ସାହାସ ସଞ୍ଚୟ କରିପାରୁନଥିଲେ ।

 

ପ୍ରତିବାଦର ସଞ୍ଚାର :

 

ଛୋଟନାଗପୁର ଅଞ୍ଚଳରେ ପ୍ରତିବାଦର ଇତିହାସ ଆଗରୁ ରହିଆସିଛି । ଜମିଦାରମାନଙ୍କ ଅତ୍ୟାଚାର ତଥା ଇଷ୍ଟ୍‍ ଇଣ୍ଡିଆ କମ୍ପାନୀର କୁଶାସନ ବିରୁଦ୍ଧରେ କୋଲ ଜନଜାତିମାନଙ୍କ ବିଦ୍ରୋହ ଏଇ ଅଞ୍ଚଳରେ ୧୮୩୧ରେ ଆରମ୍ଭ ହୋଇଥିଲା । ଏହାର ନେତୃତ୍ୱ ନେଇଥିଲେ ବୁଦ୍ଧୁ ଭଗତ, ମାଦରା ମହାତୋ ଇତ୍ୟାଦି ଆଦିବାସୀ ନେତାଗଣ ।

 

ପରେ ପରେ ଇଷ୍ଟ୍‍ ଇଣ୍ଡିଆ କମ୍ପାନୀ ଓ ଜମିଦାରଙ୍କ ବିରୁଦ୍ଧରେ ସାନ୍ତାଳମାନେ, ତାଙ୍କର ଜନଜାତି ଜମି ହଡ଼ପ ଓ ଅନୀତି ଭାବରେ କର ଆଦାୟକୁ ନେଇ ପ୍ରତିବାଦ କରିଥିଲେ । ଏ ଆନ୍ଦୋଳନ ୧୮୫୫ ଜୁନ ୩୦ରୁ ଆରମ୍ଭ ହୋଇଥଲା ଏବଂ ଏହାର ନେତୃତ୍ଵ ନେଇଥିଲେ ଚାରି ମୁର୍ମୁ ଭାଇ ଯଥା; ସିଦ୍ଧୁ, କହୁ, ଚାନ୍ଦ ଏବଂ ଭୈରବ ମୁର୍ମୁ । ଏ ଆନ୍ଦୋଳନର ତୀବ୍ରତା ଏତେଥିଲା ଯେ ଇଷ୍ଟ ଇଣ୍ଡିଆ କମ୍ପାନୀକୁ ୩, ଜାନୁଆରୀ ୧୮୫୬ ଦିନ ମାର୍ସିଆଲ ଲ’ର ପ୍ରୟୋଗ ନିମନ୍ତେ ଘୋଷଣା କରିବାକୁ ପଡ଼ିଥିଲା । କୁହାଯାଏ ଯେ ଏ ଆନ୍ଦୋଳନରେ ୬୦,୦୦୦ ସାନ୍ତାଳ ଆଦିବାସୀଙ୍କୁ ଏକଜୁଟ କରି ଏଇ ଚାରିଜଣ ଭାଇ ଆନ୍ଦୋଳନକୁ ଆଗେଇ ନେଇଥିଲେ ।

 

ବିର୍ସାକୁ ବୟସ ମାତ୍ର ଷୋହଳ । ସେତେବେଳେ ସ୍କୁଲ ହତାରେ ସିଏ ଜଣେ ପାଦ୍ରୀର ଭାବୋଦ୍ୟକ ଭାଷଣ ଶୁଣୁଥିଲେ । ପାଦ୍ରୀ କହି ଚାଲିଲେ ହିନ୍ଦୁର ନୀତି ନିୟମ ତଥା ଧର୍ମ ବିରୁଦ୍ଧରେ ଏବଂ ଆଦିବାସୀ ମୁଣ୍ଡାମାନଙ୍କ କୁସଂସ୍କାର ବିରୁଦ୍ଧରେ । ଆଦିବାସୀ ଛାତ୍ର, ଯେଉଁମାନେ ଘଟଣାକ୍ରମରେ ଖ୍ରୀଷ୍ଟିଆନ ଧର୍ମକୁ ଆପଣେଇଛନ୍ତି ସେମାନଙ୍କୁ ଏକପ୍ରକାର ତୁଳନାତ୍ମକ ଯୁକ୍ତି ଉପସ୍ଥାପନ କରି ଖ୍ରୀଷ୍ଟିଆନ ଧର୍ମର ଉଦାରତା, ଉପକାରିତା ତଥା ମହାନତା ଉପରେ ତଥ୍ୟ ରଖୁଥିଲେ । ମୋଟାମୋଟି ଭାବେ ଆଦିବାସୀ ଖ୍ରୀଷ୍ଟିଆନ ଛାତ୍ରମାନଙ୍କୁ ଆହୁରି ଆହୁରି ଖ୍ରୀଷ୍ଟିଆନ ଧର୍ମଆଡ଼କୁ ଆକୃଷ୍ଟ ହେବାପାଇଁ ପ୍ରବର୍ତ୍ତାଉଥିଲେ । ଏ କଥାର ଉପସ୍ଥାପନାକୁ ବିର୍ସା କିନ୍ତୁ ଭିନ୍ନ ଭାବରେ ବୁଝିବାକୁ ଲାଗିଲେ ।

 

ବିର୍ସା ନିଜର ବୁଦ୍ଧିମତ୍ତା ଗୁଣ ଓ ବିଚକ୍ଷଣ ସ୍ଵଭାବଦ୍ଵାରା ବିଶ୍ଳେଷଣ କରି ଜାଣିଲେ ଯେ ପାଦ୍ରୀଜଣକ ଆଦିବାସୀ ଜନସମୁଦାୟ ଉପରେ ବିଷ ଉଦ୍‌ଗାର କରି ଆପଣାଲୋକ ସାମ୍ନାରେ ନିଜର ଜାତି ତଥା ବଂଶଧର, ପରମ୍ପରା ଓ ସଂସ୍କୃତିକୁ କୁତ୍ସାରଟନା କରିବା ସହ ସମସ୍ତ ଜନସମୁଦାୟକୁ ଅପମାନିତ କରୁଛି ।

 

ବିର୍ସାଙ୍କୁ ଭଲଭାବେ ଜଣାଥିଲା ନିଜ ପରିବାର ଗରିବ ହେବାର ମୂଳ କାରଣ, ଆଦିବାସୀମାନଙ୍କ ଜମିକୁ ଜମିଦାରମାନେ ହଡ଼ପ କରିବାର ଷଡ଼ଯନ୍ତ୍ର, ଜମିଦାରମାନଙ୍କୁ ବହୁତ ବହୁତ କର ଆଦାୟ ପାଇଁ ବ୍ରିଟିସ ସରକାରଙ୍କ ପ୍ରୋତ୍ସାହନ ଓ ଆଦିବାସୀ ମାରଣ ନୀତି ଏବଂ ସର୍ବୋପରି ବ୍ରିଟିସ ସରକାରଙ୍କ ଶାସନ ଓ ରାଜନିତୀରେ ଚର୍ଚ୍ଚ ତଥା ପାଦ୍ରୀମାନଙ୍କ ସମ୍ମତି ଆଉ ସହଯୋଗ ।

 

ଏ ସମସ୍ତ କଥାକୁ ଏକାଠି ଅନୁଧ୍ୟାନ କରି ବିର୍ସା ନିଷ୍ପତ୍ତି ନେଲେ ଯେ ପାଦ୍ରୀର ଭାଷଣ ଯାହାକି ଖ୍ରୀଷ୍ଟିଆନ ଧର୍ମର ଉଦାରତା ଉପରେ କୁହାଯାଉଛି, ତାହାବି ଏକ ରାଜନୈତିକ ଚାଲ ଅଟେ । ବିର୍ସା ବିଚାର କଲେ କୌଣସି ଧର୍ମ ଖରାପ ନୁହେଁ, ନା ହିନ୍ଦୁ, ନା ଖ୍ରୀଷ୍ଟିଆନ । କୌଣସି ସଂସ୍କୃତି ବି ଉଚ୍ଚ ବା ନୀଚ୍ଚ ନୁହେଁ, ନା ଖ୍ରୀଷ୍ଟିଆନ ନା ମୁଣ୍ଡା । ଯେଉଁ ସଂସ୍କୃତି ତାକୁ ଏତେ ବଡ଼ କରିଛି, ସିଏ କେବେ ବି ଖରାପ ହୋଇନପାରେ । ଏଭଳି ବିଚାର କରି, ଦୃଢ଼-ମନୋବଳ ନେଇ ପାଦ୍ରୀକୁ ପ୍ରତିବାଦ କଲେ । କଡ଼ାବାକ୍ୟରେ ସମାଲୋଚନା କରି ତା’ର ପ୍ରତ୍ୟୁତ୍ତର ଦେଲେ ।

 

ଏକ ମୁଣ୍ଡା ପିଲାର ଏଭଳି ରୋକଠୋକ ପ୍ରତିବାଦପୂର୍ଣ୍ଣ ଜବାବ ସାରା ପରିବେଶକୁ ଚହଲେଇଦେଲା । ଏକଥା ସ୍କୁଲର ମୁଖିଆ ପାଖକୁ ଗଲା । ମୁଖିଆ ମଧ୍ୟ ବିର୍ସାର ଏତାଦୃଶ ବ୍ୟବହାରରେ କ୍ଷୁବ୍ଧ ହେଲେ ଓ ତାଙ୍କୁ ସ୍କୁଲରୁ ବହିଷ୍କାର କରିଦେଲେ । ଏଇ ସ୍କୁଲରେ ଶିକ୍ଷା ପାଇବା ପାଇଁ ବିର୍ସାକୁ ଧର୍ମ ପରିବର୍ତ୍ତନ କରିବାକୁ ପଡ଼ିଥଲା । କିନ୍ତୁ ନିଜର ଜାତି, ଜନସମୁଦାୟ ତଥା ସଂସ୍କୃତିର ଅପମାନକୁ ସହିନପାରି ସେଇ ବିଦ୍ୟାଳୟକୁ ପାଦରେ ଝୁଣ୍ଟିଦେଲା ଭଳି, ପଛକୁ କରି ନିଜର ଆପଣା ସମ୍ପ୍ରଦାୟକୁ ଫେରିଆସିବାକୁ ପଡ଼ିଲା । “ବିର୍ସା ଦେଭିଡ” ବା “ଦାଉଦ୍‍ ବିର୍ସା” ପୁଣିଥରେ “ ବିର୍ସା ମୁଣ୍ଡା” ପାଲଟି ଗଲେ ।

 

ଖ୍ରୀଷ୍ଟିଆନ ବିଦ୍ୟାଳୟରୁ ଶିକ୍ଷାପ୍ରାପ୍ତ ହୋଇ ଫେରିଥିବା ବିର୍ସା ମୁଣ୍ଡାଙ୍କର ସଂଗ୍ରାମୀ ଜୟଯାତ୍ରା ଏଇଠୁ ଆରମ୍ଭ ହେଲା ଓ ସାରା ଇଲାକାରେ ଏକ ପ୍ରତିବାଦର ଆଲୁଅ ଝଲସିବାକୁ ଲାଗିଲା ।

 

ସଂସ୍କୃତି ଓ ସଂଗ୍ରାମ :

 

ଛୋଟନାଗପୁରର ଆଦିବାସୀ ଅଞ୍ଚଳରେ ଜମିଦାର ତଥା ବ୍ରିଟିସ ସରକାରଙ୍କର ମିଳିତ ଶୋଷଣ ଓ ଅତ୍ୟାଚାର ଆଦିବାସୀମାନଙ୍କର ଉପରେ ଚାଲିଆସୁଥିଲା । ଅନେକ ମୁଣ୍ଡା ସରଦାରମାନଙ୍କ ମନ ଭିତରେ ପ୍ରତିଶୋଧର ନିଆଁ କୁହୁଳୁଥିଲା । କାଁ ଭାଁ ଏ ଶୋଷଣର ପ୍ରତିବାଦ କରୁଥିଲେ, ଠୋସ କରି ନେତୃତ୍ୱର ଘୋର ଅଭାବ ଥିଲା । ମୁଣ୍ଡା ସମ୍ପ୍ରଦାୟର ସମ୍ମାନହାନିକୁ ପ୍ରତିବାଦ କରି ନିଜର ସ୍ଵାଭିମାନ ନିମନ୍ତେ ବିର୍ସା ସ୍କୁଲ ଛାଡ଼ିଥିବାର ଖବର ସାରା ଛୋଟନାଗପୁର ଅଞ୍ଚଳରେ ଜଙ୍ଗଲରେ ନିଆଁ ପ୍ରାୟେ ପହଞ୍ଚିଗଲା ସାରା ଗାଁରେ, ସବୁ ଆଦିବାସୀ ପରିବାର ପାଖକୁ-। ଆଦିବାସୀ ବଂଶଧର ବିର୍ସାକୁ ଭୂରି ଭୂରି ପ୍ରଶଂସା କରିବାକୁ ଲାଗିଲେ । ଘୋର ଜଙ୍ଗଲକୁ କାଟି ଜମି ତିଆରି କରିବାର ପରିଶ୍ରମୀ ସଂସ୍କୃତି, ଜଙ୍ଗଲୀ ଜୀବମାନଙ୍କ ସହ ଲଢ଼ି ବାସସ୍ଥାନ ଗଢ଼ିବାର ପରମ୍ପରା, ଆଦିବାସୀମାନଙ୍କୁ ଧନୁଶର ବିନ୍ଧିବା, ଟାଙ୍ଗିଆ ଫାର୍ସାରେ ଯୁଦ୍ଧ କରିବା, ଗୁଲେର ଲକ୍ଷ୍ୟ କରିବାର ଅଭ୍ୟାସ ସବୁକୁ ଦୈନନ୍ଦିନ କାମରେ ପରିଣତ କରି ଏକ ଲଢ଼ୁଆ ଜୀବନ ଜୀଇଁବା ପାଇଁ ଯୁଗ ଯୁଗ ଧରି ଶିଖେଇ ଆସିଥିଲା । ଏଇ ସଂସ୍କୃତି ବିର୍ସାର ନେତୃତ୍ୱରେ ଉଦ୍‌ଜୀବିତ ହୋଇଉଠିଲା ଓ ସଂଗଠିତ ହେଲା । ତା’ସଙ୍ଗେ ସଙ୍ଗେ ଲଢ଼ିବାକୁ ମଧ୍ୟ ସଂକଳ୍ପ ଯୋଗାଇଲା । ଲୋକଙ୍କର ସମର୍ଥନ ବିର୍ସାକୁ ବି ମନୋବଳ ଯୋଗାଇଲା । ଖ୍ରୀଷ୍ଟିଆନ ସଂସ୍କୃତିକୁ ଯେତେବେଳେ ପ୍ରତ୍ୟାଖ୍ୟାନ କରାଗଲା ଅନୁରୂପ ଭାବରେ ମୁଣ୍ଡା ବା ଆଦିବାସୀ ସଂସ୍କୃତିର ଆଦର ଜୋର ଜୋର ବଢ଼ିବାରେ ଲାଗିଲା ।

 

ଏଇ ପ୍ରାଚୀନ ପାରମ୍ପରିକ ସଂସ୍କୃତି ଲୋକଙ୍କୁ ବାନ୍ଧି ରଖିଲା ଏବଂ ହୀନମନ୍ୟ ଭାବପୋଷଣ କରୁଥିବା ସଂସ୍କୃତିକୁ ଗରିୟାନ କରିବା ଫଳରେ ଲୋକଙ୍କ ଭିତରେ ଆସ୍ଥା ଜନ୍ମହେବା ସହ ଏକ ସାଂସ୍କୃତିକ ଜାଗରଣ ସୃଷ୍ଟିହେଲା ।

 

ସମସ୍ତ ମୁଣ୍ଡା ସର୍ଦାରମାନେ ବିର୍ସାର ସାହସ, କ୍ଷମତା ଓ ବାହୁବଳ ଉପରେ ଭରସା କରି ସାରା ମୁଣ୍ଡା ସମାଜର ନେତୃତ୍ଵ ନେବାକୁ ଅନୁରୋଧ କଲେ । ଅନୁରୂପ ଭାବେ ବିର୍ସା ମଧ୍ୟ ସମସ୍ତଙ୍କୁ ସମ୍ମତି ପ୍ରଦାନ କରିଥଲେ । ଏବେ ବିର୍ସା ସମସ୍ତଙ୍କୁ ପ୍ରବର୍ତ୍ତାଇଲେ, ଜଙ୍ଗଲ କାଟି ଜମି ତିଆରି କରିବା ପାଇଁ । ଲୋକଙ୍କୁ ବୁଝେଇଲେ ଯେ, ଜଙ୍ଗଲ କାଟିବାଦ୍ଵାରା ଜମିର ମାଲିକ ହେଇ ସେମାନେ ଆତ୍ମନିର୍ଭରଶୀଳ ହେବା ସହ ଜମିଦାରମାନଙ୍କ ଦୁଆରରେ ଶରଣ ପଶିବାର ଆବଶ୍ୟକତା ରହିବ ନାହିଁ ।

 

ପାଦ୍ରୀମାନଙ୍କ ଶୋଷଣ ଆଚରଣକୁ ବିରୋଧ କରି ଆଦିବାସୀମାନଙ୍କୁ ସ୍ଵଧର୍ମ ପ୍ରତ୍ୟାବର୍ତ୍ତନ ପାଇଁ ଆହ୍ଵାନ ଦେଇଥଲେ । ସେ ଖ୍ରୀଷ୍ଟଧର୍ମ ପ୍ରତି ବିଦ୍ୱେଷ ମନୋଭାବ ଜମାରୁ ଦେଖାଉନଥିଲେ । ବରଂ ଖୋଲାଖୋଲି କହୁଥିଲେ ଯେ, ଖ୍ରୀଷ୍ଟଧର୍ମରେ ଦୀକ୍ଷିତ ହୋଇ ସିଏ ଶିକ୍ଷାଲାଭ କରିବାର ସୁଯୋଗ ପାଇଛନ୍ତି । କିନ୍ତୁ ମିସନାରୀମାନଙ୍କ ଅତ୍ୟାଚାରରୁ ବରତିବା ପାଇଁ ଲୋକଙ୍କୁ କହୁଥିଲେ ଯେ, କାହାର ପ୍ରଲୋଭନରେ ନଆସି ଯେଉଁ ଧର୍ମ ନିଜପାଇଁ ଭଲ ଅଟେ ସେଇ ଧର୍ମକୁ ଗ୍ରହଣ କରିବା ଉପରେ ଜୋର ଦେଉଥିଲେ । ବିର୍ସାଙ୍କ କଥାକୁ ମାନି ଅନେକ ଖ୍ରୀଷ୍ଟିୟାନ ଆଦିବାସୀ ପୁଣି ହିନ୍ଦୁ ଧର୍ମରେ ଦୀକ୍ଷିତ ହୋଇଥିଲେ ।

 

ବିର୍ସା ମୁଣ୍ଡାଙ୍କ ପ୍ରାରମ୍ଭିକ ଆନ୍ଦୋଳନକୁ ଧାର୍ମିକ ତଥା ସାଂସ୍କୃତିକ ଜାଗରଣ ଭାବରେ ବିଚାର କରାଯାଉଥିଲା । ଖ୍ରୀଷ୍ଟିୟାନ ସ୍କୁଲରୁ ବହିଷ୍କାର ହୋଇଆସିବା ପରେ ପରେ ବିର୍ସା ଗୁଡ଼ାଏ ଶାସ୍ତ୍ର ଅଧ୍ୟୟନ କରି ଉକ୍ତ ଶାସ୍ତ୍ରସବୁକୁ ଲୋକଙ୍କ ସାମ୍ନାରେ ବୁଝାଉଥିଲେ । ଏଇ ଦୃଷ୍ଟିରୁ ବହୁଲୋକ ତାଙ୍କପାଖକୁ କଥା ଶୁଣିବା ପାଇଁ ଆସୁଥିଲେ । ତେଣୁ ବିର୍ସା ନିଜକୁ ‘‘ଧରତି ଆବା’’ ବୋଲି ମଧ୍ୟ ଘୋଷଣା କରିଥିଲେ । ହେଲେ ଯେମିତି ଯେମିତି ମୁଣ୍ଡା ସରଦାରମାନେ ଆସି ବିର୍ସା ଗୋଷ୍ଠିରେ ଯୋଗଦେଲେ ସେଇ ଧାର୍ମିକ ଆନ୍ଦୋଳନ ରାଜନୈତିକ ତଥା ସାମାଜିକ ଆନ୍ଦୋଳନରେ ରୂପାନ୍ତରିତ ହେଲା ।

 

ବିର୍ସା କହିଲେ ‘‘ଜମିଦାର, ସରକାର ତଥା ପାଦ୍ରୀମାନଙ୍କ ସହ ଲଢ଼ିବାକୁ ହେଲେ ନିଜର ଆଚରଣକୁ ଆଦିବାସୀମାନଙ୍କୁ ବଦଳେଇବାକୁ ପଡ଼ିବ ।’’ ଏହା କହି ଏକ ଆଚରଣ ସଂହିତା ଜାରି କରିଥିଲେ । ସେହି ଆଚରଣ ସଂହିତାର ସାରାଂଶ ହେଲା:

 

ଆଦିବାସୀଙ୍କ ସରଳତା, ସତ୍ୟନିଷ୍ଠ ଭାବ ଏବଂ ଦୟନୀୟ ସ୍ଥିତିର ଲାଭ ଉଠେଇ ଜମିଦାର, ମହାଜନ, ପୁରୋହିତବର୍ଗ ତଥା ବ୍ୟାପାରୀମାନେ ଶୋଷଣ କରିଚାଲିଛନ୍ତି । ସେଇଥିପାଇଁ କେହି ବି ସେମାନଙ୍କୁ ଭରସା କରିବା ଉଚିତ ନୁହେଁ ।

 

ଜମିଦାରମାନଙ୍କ ପରି ସରକାର ମଧ୍ୟ ଆଦିବାସୀଙ୍କୁ ସମାନ ରୂପରେ ଶୋଷଣ କରୁଛନ୍ତି । ସରକାରର ସମର୍ଥନରେ ଜମିଦାରମାନେ ଆଦିବାସୀଙ୍କୁ ଶୋଷଣ କରୁଛନ୍ତି । ସେଇଥି ନିମନ୍ତେ ସରକାରଙ୍କୁ ଆଦିବାସୀ-ବିରୋଧୀ ନୀତିପାଇଁ ବହିଷ୍କାର କରାଯାଉ ।

 

୩୦ ଜୁନ୍‍, ୧୮୫୫ ଦିନଟି ସମସ୍ତ ଆଦିବାସୀମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦିନ ଅଟେ । ଏଇ ଦିନକୁ ପ୍ରତିବର୍ଷ ‘‘ଶହୀଦ ଦିବସ’’ ଭାବେ ପାଳନ କରାଯିବ । ପ୍ରତ୍ୟେକ ଆଦିବାସୀ ସେଇ ଶହୀଦମାନଙ୍କୁ ନିଜର ଆଦର୍ଶଭାବେ ମାନିବାର ଅଛି ।

 

ଯୁବ-ଆଦିବାସୀମାନଙ୍କୁ ଜୋରସୋରରେ ପ୍ରୋତ୍ସାହିତ କରି, କୋହ୍ଲ ବିଦ୍ରୋହରେ ସାମିଲ ହୋଇଥିବା ଶହୀଦମାନଙ୍କ ବୀରଗାଥାକୁ ପ୍ରଚାର ଓ ପ୍ରସାର କରାଯାଉ ।

 

ଅଞ୍ଚଳର ସମସ୍ତ ଆଦିବାସୀ ବ୍ରିଟିଶ ସରକାରଙ୍କ ନୀତି ଏବଂ ଜମିଦାରମାନଙ୍କଠାରୁ ମୁକ୍ତି ପାଇବାପାଇଁ ଚାହୁଁଥିଲେ; ତେଣୁ ଦୂର ବହୁଦୂରରୁ ଆଦିବାସୀମାନେ ଆସି ବିର୍ସାଙ୍କୁ ପ୍ରତିବାଦ ପାଇଁ ନିଜର ସମର୍ଥନ ଜଣାଇଥିଲେ । ଦେଖୁ ଦେଖୁ ବିର୍ସାର ଆନ୍ଦୋଳନ ଏକ ବଡ଼ ଓ ଭୟଙ୍କର ରୂପ ଧାରଣ କଲା । ସମସ୍ତେ ବିର୍ସାଙ୍କଦ୍ୱାରା ଜାରି କରାଯାଇଥିବା ଆଚାର ସଂହିତା ପାଳନ କରିବାକୁ ଲାଗିଲେ । ବିର୍ସା ତା’ପରେ ନିଜ ଦାବିପତ୍ର ରଖିଲେ । ସେଇ ଦାବିପତ୍ର ନିମ୍ନମତେ ରଖାଯାଇଥିଲା-

 

ପ୍ରାଚୀନକାଳରୁ ଜମିଦାର ତଥା ଉଚ୍ଚବର୍ଗର ଲୋକେ ଆଦିବାସୀମାନଙ୍କୁ ତାଙ୍କ ଜମିରେ ବଳପୂର୍ବକ ହଳିଆ କାମ କରିବାକୁ ବାଧ୍ୟ କରିଛନ୍ତି । ଏବେ ସେମାନେ ଗୋତି ଶ୍ରମିକ ହେଇ ତାଙ୍କର ଜମିରେ ଖଟିବେ ନାହିଁ ।

 

ଜମିଦାରମାନଙ୍କଦ୍ୱାରା କରାଯାଉଥିବା ଉତ୍ପୀଡ଼ନ ବିରୁଦ୍ଧରେ ସରକାର କାନୁନ ବନାନ୍ତୁ ଏବଂ ଆଦିବାସୀମାନଙ୍କୁ ଅତ୍ୟାଚାର କରୁଥିବା ଜମିଦାରମାନଙ୍କୁ ଦଣ୍ଡବିଧାନ କରନ୍ତୁ ।

 

ଜମିଦାରମାନଙ୍କ ସହ ଉଚ୍ଚବର୍ଗର ଲୋକମାନଙ୍କୁ ଯେଉଁ ସୁବିଧା ସୁଯୋଗ ଦିଆଯାଉଛି ସେଇ ସୁବିଧା ସୁଯୋଗ ଆଦିବାସୀମାନଙ୍କୁ ମଧ୍ୟ ଦିଆଯାଉ ।

 

ଅଞ୍ଚଳର ବଣ ସମ୍ପଦ, ଜମି, ଜଙ୍ଗଲ, ପାହାଡ଼ ଏବଂ ଖଣିଜ ସମ୍ପଦ ଉପରୁ ଜମିଦାର ତଥା ଉଚ୍ଚବର୍ଗର ଲୋକଙ୍କ ମାଲିକାନାକୁ ରଦ୍ଦ କରାଯାଉ ଏବଂ ଆଦିବାସୀମାନଙ୍କୁ ସମାନ ଅଧିକାର ଦିଆଯାଉ ।

 

-ଆଦିବାସୀମାନଙ୍କ ଉପରେ ଚାଲିଥିବା ଆର୍ଥିକ ଶୋଷଣକୁ ସମାପ୍ତ କରି ତାଙ୍କର ପରିଶ୍ରମ ଅନୁସାରେ ପାରିଶ୍ରମିକ ପ୍ରଦାନ କରାଯାଉ ।

 

-ଜମି ସବୁକୁ ଲଗାଣମୁକ୍ତ କରି ଜମିଦାର ମାନଙ୍କୁ ଲଗାନ ଦେବା ବନ୍ଦ କରାଯାଉ । ଜମିକୁ ମାଲଗୁଜାରି ଦେବାରୁ ମୁକ୍ତ ରଖାଯାଉ ।

 

-ଆଦିବାସୀ ମହିଳାଙ୍କ ସମ୍ମାନ ତଥା ସୁରକ୍ଷା ହେତୁ ସରକାର ଏମିତି ନିୟମ ବନାନ୍ତୁ ଯାହାଦ୍ଵାରା ଜମିଦାର ଓ ଉଚ୍ଚବର୍ଗର ଲୋକଙ୍କଦ୍ଵାରା ତାଙ୍କର ଶାରୀରିକ ଶୋଷଣ ବନ୍ଦ ହୋଇଯିବ । ଯିଏ ନିୟମ ଉଲଙ୍ଘନ କରିବ ତାକୁ କଠୋର ଦଣ୍ଡବିଧାନ ହେଉ ।

 

-ଆଦିବାସୀ ପିଲାମାନଙ୍କ ପାଇଁ ଶିକ୍ଷାର ବ୍ୟବସ୍ଥା କରାଯାଉ ।

 

-ଆଦିବାସୀମାନଙ୍କୁ ଧାର୍ମିକ ସ୍ଵତନ୍ତ୍ରତାର ଅଧିକାର ଦିଅଯାଉ ।

 

ଏହିପରି ଅନେକ ଦାବି କରାଗଲା । ଏ ଦାବିମାନେ ଯେତେ ଯୁକ୍ତିଯୁକ୍ତ ଏବଂ ପ୍ରାସଙ୍ଗିକ ଥିଲା ଯେ ପରବର୍ତ୍ତୀ ସମୟରେ ଏଇ ଦାବିମାନଙ୍କ ଅନେକ ଅଂଶକୁ ଭାରତୀୟ ସମ୍ବିଧାନରେ ସ୍ଥାନିତ କରାଗଲା ।

 

୧୮୯୪ ମସିହାରେ ଉପରୋକ୍ତ ଦାବି ନେଇ ବିର୍ସା ଆନ୍ଦୋଳନ ଠିଆକରେଇଲେ । ବିଦ୍ରୋହ ସମୟରେ ଥାନାକୁ ଆକ୍ରମଣ କରି ନିଆଁ ଜଳେଇଦେବା, ଇଂରେଜ କର୍ମଚାରୀମାନଙ୍କୁ ବିର୍ସାଙ୍କ ସହଯୋଗୀମାନେ ହତ୍ୟା କରିବା ଇତ୍ୟାଦି ପରି ଘଟଣା ଘଟିବା ସହ ଗରିଲା ଯୁଦ୍ଧକରି ଆଦିବାସୀଙ୍କ ସ୍ଵାର୍ଥପାଇଁ ଏକନିଷ୍ଠ ଭାବରେ ଲାଗିପଡ଼ିଲେ ।

 

ବିର୍ସା ଭୂମି ସମନ୍ଧୀୟ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ଫଳରେ ଏ ଆନ୍ଦୋଳନକୁ ଦମନ କରିବା ସରକାର ପାଇଁ ଅନିବାର୍ଯ୍ୟ ହୋଇପଡ଼ିଲା ।

 

ବିର୍ସାଙ୍କ ପ୍ରଭାବ ଏତେ ବଢ଼ିଗଲା ଯେ, ମହାଜନ ଓ ବ୍ରିଟିଶ ସରକାର ଭୟଭୀତ ହୋଇଯାଉଥିଲେ । ବିର୍ସାକୁ ଦଣ୍ଡ ଦେବାପାଇଁ ଏକ ଅପପ୍ରଚାର ସରକାର ପାଖରେ ପହଞ୍ଚିଲା । କୁହାଗଲା ଯେ, ବିର୍ସା ଲୋକମାନଙ୍କୁ ତା’ର ନିଜର ପକ୍ଷ ନେବା ପାଇଁ ଭଡ଼କାଉଛି । କହୁଛି ଯେ, ଯିଏ ତାକୁ ସମର୍ଥନ କରିବ ନାହିଁ ତାକୁ ହତ୍ୟା କରାଯିବ । ଏଇ ଅପପ୍ରଚାର ଫଳରେ ବିର୍ସାକୁ ୨୪ ଅଗଷ୍ଟ ୧୮୯୫ ରେ ବନ୍ଦୀ କରାଗଲା ଏବଂ ୨ବର୍ଷ ସଶ୍ରମ ଜେଲଦଣ୍ଡ ଦିଆଗଲା ।

 

ଫେବୃଆରୀ ୧୮୯୮ରେ ଡୋବାରୀ ଅଞ୍ଚଳର ଜଗରୀ ମୁଣ୍ଡା ଘରେ ପ୍ରଥମ ମୁଣ୍ଡାମାନଙ୍କର ସଭା ଆୟୋଜନ କରାଯାଇଥିଲା । ଏଥିରେ ବିର୍ସାର ଅତି ଘନିଷ୍ଠ ସହଯୋଗୀମାନେ ଯୋଗଦାନ କରିଥିଲେ । ଏଇ ସଭାରେ ଶାନ୍ତିପୂର୍ଣ୍ଣ ଅବସ୍ଥାରେ ନିଜର ଆନ୍ଦୋଳନ ଜାରି ରଖିବା ପାଇଁ ସମସ୍ତଙ୍କୁ କହିଥିଲେ କିନ୍ତୁ ମୁଣ୍ଡା ସର୍ଦାରମାନେ ସଶସ୍ତ୍ର ଆନ୍ଦୋଳନ ପାଇଁ ଅଡ଼ି ବସିଲେ ।

 

ଠିକ ସେହିପରି ମାର୍ଚ୍ଚ ୧୮୯୮ରେ ଡୋବରୀ ନିକଟ ସିନବୁଆ ନାମକ ପାହାଡ଼ରେ ସଭା ଆୟୋଜନ କରାଯାଇଥିଲା । ଏ ସଭାରେ ହାରାହାରି ୩୦୦ରୁ ଉର୍ଦ୍ଧ୍ୱ ସଶସ୍ତ୍ର ଆଦିବାସୀ ଯୋଗଦାନ କରିଥିଲେ । ଏଇ ସଭାରେ ମଧ୍ୟ ଧାର୍ମିକ ତଥା ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ପାଇଁ ନିଜର ବକ୍ତବ୍ୟ ରଖିଥିଲେ ବିର୍ସା ।

 

ନଭେମ୍ବର ୧୮୯୮ରେ ପୁଣି ଡୋବରୀ ପାହାଡ଼ରେ ଅନ୍ୟ ଏକ ସଭା ଆୟୋଜିତ ହୋଇଥିଲା । ଏଇ ଇଂରେଜ ବିରୁଦ୍ଧରେ ବିର୍ସା ସଶସ୍ତ୍ର ଆନ୍ଦୋଳନ ପାଇଁ ଘୋଷଣା କରିଥିଲେ ।

 

୨୨ ଡିସେମ୍ବର ୧୯୯୮ର ସଭାରେ ନିଷ୍ପତି ନିଆଗଲା ଯେ ଖ୍ରୀଷ୍ଟମାସର ପୂର୍ବଦିନ ଅର୍ଥାତ ୨୪ ଡିସେମ୍ବର ୧୮୯୮ରେ ଆକ୍ରମଣ କରାଯିବ । ସେଇଦିନ ଏକାସହ ଚାରିଆଡ଼େ ଅର୍ଥାତ ଖୁଣ୍ଟି ବସିୟା ସିଂହଭୂମ, ତୋରଫା, କରା ତମାଡ଼, ଚକ୍ରଧରପୁର ତଥା ରାଞ୍ଚି ଜିଲ୍ଲା ଆଦି ଅଞ୍ଚଳରେ ଭୟଙ୍କର ତଥା ଉଗ୍ରଭାବରେ ଆଦିବାସୀମାନେ ଇଂରେଜମାନଙ୍କୁ ଆକ୍ରମଣ କରି ଭଙ୍ଗାରୁଜା ଆରମ୍ଭ କରିଦେଲେ । ଅନେକ ଜାଗାରେ ଗୀର୍ଜାଘର, ଥାନାକୁ ଆକ୍ରମଣ କରାଗଲା । ମିଶନାରୀ ସ୍କୁଲକୁ ବି ଆକ୍ରମଣ କରି ଛିନ୍ନ-ବିଚ୍ଛିନ୍ନ କରିଦିଆଗଲା ।

 

ସବୁଠାରୁ ବଡ଼କଥା ଯେ ବିଦ୍ରୋହ ଅତି ଭୟଙ୍କର ହୋଇଥିଲେ ବି କୌଣସି ଖ୍ରୀଷ୍ଟିୟାନ ବ୍ୟକ୍ତି ଉପରେ ଆକ୍ରମଣ କରାଯାଇନଥିଲା । ଆନ୍ଦୋଳନକାରୀମାନଙ୍କର କେବଳ ନିଜର ଅଧିକାର ନିମନ୍ତେ ସରକାରକୁ ଭୟଭୀତ କରିବାର ଉଦ୍ଦେଶ୍ୟ ରହିଥିଲା । କୌଣସି ବ୍ୟକ୍ତିର ବି ପ୍ରାଣ ନେବାର ଆନ୍ଦୋଳନକାରୀମାନଙ୍କର ବିଚାର ନଥିଲା ।

 

ଏଭଳି ଆକ୍ରମଣଦ୍ଵାରା ଯେଉଁ ଆଦିବାସୀମାନେ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିଲେ ସେମାନେ ବି ଭୟଭୀତ ହୋଇଯାଇଥିଲେ । ଏହା ଦେଖି ବିର୍ସା ଘୋଷଣା କଲେ ଯେ, “ବ୍ରିଟିଶ ସରକାର ହେଉଛନ୍ତି ବିଦ୍ରୋହୀମାନଙ୍କର ପ୍ରବଳ ଶତ୍ରୁ । ତାଙ୍କର ଅନ୍ୟାୟପୂର୍ଣ୍ଣ ନୀତି ଯୋଗୁଁ ଆଦିବାସୀମାନେ ଅସ୍ତ୍ରଧାରଣ କରିବାକୁ ବାଧ୍ୟ ହୋଇଛନ୍ତି । ଅନ୍ୟ ମୁଣ୍ଡା ବା ଆଦିବାସୀମାନଙ୍କ ପ୍ରତି ତାଙ୍କର କୌଣସି ପ୍ରକାର ଶତ୍ରୁତା ନାହିଁ । ସେମାନେ ତାଙ୍କର ଜମି ଜଙ୍ଗଲ ସମସ୍ୟାକୁ ନେଇ ସରକାର ସହ ସଂଘର୍ଷରତ ଅଛନ୍ତି । ସେଇଥିପାଇଁ ଏ ଧର୍ମଯୁଦ୍ଧରେ ସବୁ ମୁଣ୍ଡାମାନେ ସହଯୋଗ କରିବା ଉଚିତ ।”

 

ବିଦ୍ରୋହର ଦୁଇଦିନ ପରେ ଇଁ ଏ ଘୋଷଣା କରିଥଲେ ବିର୍ସା ।

 

ବିଦ୍ରୋହୀମାନଙ୍କୁ କାବୁ କରିବାପାଇଁ ସରକାରୀ କାର୍ଯ୍ୟାଳୟ, ଥାନା, ମିସନାରୀ ସଂସ୍ଥାମାନଙ୍କରେ ପୁଲିସ ଛାଉଣି କରାଗଲା । ଆଦିବାସୀବହୁଳ ଗାଁମାନଙ୍କରେ ହିନ୍ଦୀ ତଥା ମୁଣ୍ଡାରୀ ଭାଷାରେ ଘୋଷଣା କରାଗଲା ଯେ, ବିଦ୍ରୋହୀଙ୍କୁ କେହି ସମର୍ଥନ କରିବେ ନାହିଁ । ଏଥିସହ ବିର୍ସାକୁ ଯିଏ ଧରେଇଦେବ ତା’ ପାଇଁ ୫୦୦ ଟଙ୍କାର ପୁରସ୍କାର ଘୋଷଣା କରାଗଲା ।

 

ବିର୍ସାର ପୁରୁଣା ଶତ୍ରୁ ଜଗମୋହନ ସିଂ ସନ୍ଦିଗ୍ଧ ଲୋକମାନଙ୍କର ଏକ ତାଲିକା ତିଆରିକଲା । ସେଇ ଅନୁସାରେ ୧୦ ଜାନୁଆରୀ ୧୯୦୦ ରେ ବିର୍ସା ତଥା ତା’ର ସହଯୋଗୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା । ସରକାର ଘୋଷଣା କଲେ ଯେ ଯିଏ ବିର୍ସା ମୁଣ୍ଡାର ସୂଚନା ଦେବ ତାକୁ ତା’ ନିଜ ଗାଁରେ ସାରାଜୀବନ ପାଇଁ ଲଗାନମୁକ୍ତ ପଟ୍ଟା ଦିଆଯିବ ।

 

ଧୀରେ ଧୀରେ ବିଦ୍ରୋହୀମାନେ ଭାଙ୍ଗିପଡ଼ିଲେ । ବିର୍ସାଙ୍କ ଦୁଇ ଅନ୍ତରଙ୍ଗ ସହଯୋଗୀ ୨୮ ଜାନୁଆରୀ ୧୯୦୦ରେ ଡୋକ ଓ ମଝିଆ ନିଜ ସହଯୋଗୀଙ୍କ ସହ ଆତ୍ମସମର୍ପଣ କରିବା ଫଳରେ ବିଦ୍ରୋହ ସଂପୂର୍ଣ୍ଣ ଭାବେ ଭୁଷୁଡ଼ି ପଡ଼ିଲା ।

 

ଶେଷରେ ସରକାରଦ୍ଵାରା ଜାରି ହୋଇଥିବା ପ୍ରଲୋଭନ କାମରେ ଆସିଲା । ପୁରସ୍କାର ଲୋଭରେ ମନ୍ମରୁ ଆଉ ଜରିକେଲ ଗାଁର ସାତଜଣ ଲୋକ ମିଶି ବିର୍ସାର ରହିବା ସ୍ଥାନର ଖବରଦେଇ ଧରିବାରେ ତାକୁ ସହାୟତା କଲେ । ଶେଷରେ ଯେଉଁ ଲୋକମାନଙ୍କ ପାଇଁ ବିର୍ସା ଲଢ଼ୁଥିଲେ ସେଇ ଲୋକମାନେ ଇଁ ବିଶ୍ଵାସଘାତ କରି ତାଙ୍କୁ ଧରେଇଦେଲେ । ରାତିରେ ଜଙ୍ଗଲରେ ଶୋଇଥିବାବେଳେ ବିର୍ସାକୁ ଧରାଗଲା ଏବଂ ରାତାରାତି ଇଁ ବନ୍ଦଗାଁର ଡେପୁଟି କମିଶନର ପାଖରେ କଏଦ କରି ରଖାଗଲା ।

 

ବିର୍ସାକୁ ଛଡ଼େଇବା ପାଇଁ ହଜାର ହଜାର ସଂଖ୍ୟାରେ ଅସ୍ତ୍ରଶସ୍ତ୍ର ଧରି ଆଦିବାସୀମାନେ ଆସୁଛନ୍ତି ବୋଲି ଅପପ୍ରଚାର ହେବା ଫଳରେ ବିର୍ସା ମୁଣ୍ଡାକୁ ଗୁପ୍ତରୂପରେ ରାଞ୍ଚି ଜେଲକୁ ପଠେଇ ଦିଆଗଲା ।

 

୩୦ ମଇ ୧୯୦୦ ରେ ତାଙ୍କର ହାଲତ ବହୁତ ଖରାପ ହୋଇଗଲା । ହେଲେ ଜେଲ କତ୍ତୃପକ୍ଷ ଏଥିପ୍ରତି କିଛି ଧ୍ୟାନ ଦେଲେ ନାହିଁ ।

 

ପୁଣି ୯ ଜୁନ ୧୯୦୦ ରେ ତାଙ୍କର ହାଲତ ବହୁତ ଖରାପ ହୋଇଗଲା । ସିଏ ରକ୍ତବାନ୍ତି କରିବା ଆରମ୍ଭ କଲେ ଏବଂ ବେହୋସ ହୋଇ ଆଦିବାସୀମାନଙ୍କ ଭଗବାନ ବିର୍ସା ମୁଣ୍ଡା ଶେଷନିଃଶ୍ୱାସ ତ୍ୟାଗ କଲେ ।

 

ସୁବର୍ଣ୍ଣରେଖା ନଦୀତଟରେ ପୋଲିସ ଗୁପ୍ତଭାବରେ ବିର୍ସାର ଶବକୁ ଭୟରେ ପୋଡ଼ିଦେଲା ।

 

ଭୀମ ଭୋଇ, ମହାତ୍ମା ଫୁଲେ ଓ ବିରସା ମଣ୍ଡା

 

ଆଜିଭଳି ଉନବିଂଶ ଶତାବ୍ଦୀରେ ଯୋଗାଯୋଗର ବ୍ୟବସ୍ଥା ସଂଯୋଜିତ ତଥା କ୍ଷିପ୍ର ନଥିଲା । ଆଜି ଗୋଟିଏ କଥା ବିଶ୍ଵର ଏ ପାଖରେ ଘଟିଲେ ଆର ପାଖକୁ ସେଇ କଥା ତତ୍‌କ୍ଷଣାତ ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ଚିଯାଉଛି । ଏପରିକି ଆଖିରେ ଦୃଶ୍ୟ ବି ଦେଖିପାରୁଛନ୍ତି । ଗୋଟିଏ ସମୟରେ ଛୋଟନାଗପୁର ଅଞ୍ଚଳରେ ଯାହା ଘଟୁଥିଲା ଭାରତବର୍ଷର ଅନ୍ୟ ସବୁ ସ୍ଥାନମାନଙ୍କରେ ମଧ୍ୟ ସେଇ ସବୁ କଥାମାନ ଘଟୁଥିଲା ଏବଂ ଅନ୍ୟ ସ୍ଥାନମାନଙ୍କରେ ମଧ୍ୟ ଅନୁରୂପ ଭାବରେ ପ୍ରତିବାଦ ଓ ସଂଘର୍ଷ ଦେଖା ଦେଉଥିଲା । ବିର୍ସା ମୁଣ୍ଡା ମାତ୍ର ୨୫ ବର୍ଷ ବଞ୍ଚିରହି ଯେଉଁ ଅବଦାନ କରିଯାଇଛନ୍ତି ମଣିଷ ସମାଜ ପାଇଁ ତାହା ଖୁବ କ୍ୱଚିତ୍‍ ଲୋକମାନଙ୍କ ପାଖରେ ସମ୍ଭବ ହୋଇଛି । ତାଙ୍କ ସ୍ଵଳ୍ପ ଜୀବନକାଳ ସମୟରେ ଭାରତବର୍ଷର ଅନ୍ୟ ଦୁଇ ମହାନ ସଂଗ୍ରାମୀ, ବିପ୍ଲବୀ, ସମାଜ ସଂସ୍କାରକ କବିମାନେ ଅନୁରୂପ କାମ କରୁଥିଲେ ବଞ୍ଚିତ ମଣିଷଙ୍କ ପାଇଁ । ସେମାନେ ହେଲେ ଓଡ଼ିଶାରେ ଜନ୍ମିତ ବିପ୍ଳବୀ କବି ଭୀମ ଭୋଇ ଓ ମହାରାଷ୍ଟ୍ରର ପୁନା ସହରରେ ଜନ୍ମିତ ମହାତ୍ମା ଜୋତି ରାଓ ଫୁଲେ ।

 

ଏ ତିନି ମହାପୁରୁଷଙ୍କ ଜୀବନଶୈଳୀକୁ ଅନୁଧ୍ୟାନ କଲେ ଆମେ ଅନେକ ସାମଞ୍ଜସ୍ୟ ଦେଖିପାରିବା ।

 

ଧାର୍ମିକ ବିଚାର :

 

ବିର୍ସା ମୁଣ୍ଡା ନିଜ ଆନ୍ଦୋଳନକୁ ଧାର୍ମିକ ଆନ୍ଦୋଳନର ନାମ ଦେଇଥିଲେ, ବିପ୍ଳବର ଆଦ୍ୟକାଳରେ । ଏପରିକି ନିଜକୁ “ଧର୍‍ତି ଆବା” ବୋଲି ମଧ୍ୟ ଘୋଷଣା କରିବା ସହ ଅନ୍ୟଧର୍ମକୁ କଟାକ୍ଷ କିମ୍ବା ସମାଲୋଚନା କରିବାରୁ କ୍ଷାନ୍ତ ରହିବାକୁ ନିଜ ସହଯୋଗୀମାନଙ୍କୁ ଉପଦେଶ ଦେଉଥିଲେ । ଏପରିକି ତାଙ୍କ ବିଚାରରେ ଅନୁପ୍ରାଣିତ ସହଯୋଗୀମାନେ ବିର୍ସାଇଟ ଭାବରେ ମଧ୍ୟ ନାମିତ ହୋଇଥିଲେ । ଲୋକଙ୍କଦ୍ଵାରା ଭଗବାନ ବିର୍ସା ନାମକରଣ ତାଙ୍କ ଧାର୍ମିକ ମତବାଦର ଏକ ବଳିଷ୍ଠ ଅଙ୍ଗ ଅଟେ ।

 

ସେହିପରି ୧୮୫୦ ମସିହାରେ ଜନ୍ମ ହେଇଥିବା ଭୀମ ଭୋଇ “ସ୍ତୁତି ଚିନ୍ତାମଣି” ଭଳି ମହାନ ଗ୍ରନ୍ଥ ଲେଖିଥୁଲେ ଏବଂ ମହିମା ଧର୍ମର ପ୍ରଚାରକ ଓ ସ୍ତାବକ ଥିଲେ । ନିରାକାର, ଅଲେଖ, ଅରୂପର ତତ୍ତ୍ୱ ମାଧ୍ୟମରେ ନିଜ ଧାର୍ମିକ ବିଚାରର ମୌଳିକତାକୁ ସାରା ବିଶ୍ଵରେ ପ୍ରଚାରିତ କରିବା ସହ ବ୍ରାହ୍ମଣବାଦୀ ମୂର୍ତ୍ତିପୂଜାର ବିଚାରକୁ ଖଣ୍ଡନ କରିଥିଲେ । ଠିକ୍‍ ସେହିପରି ଭାରତବର୍ଷର ସର୍ବ ପ୍ରଥମ ମହାତ୍ମା, ମହାତ୍ମା ଜୋତି ରାଓ ଫୁଲେ ସତ୍ୟଶୋଧକ ସମାଜ ମାଧ୍ୟମରେ ତାଙ୍କ ସମାନତା ଆଧାରିତ ଧାର୍ମିକ ବିଚାରକୁ ପ୍ରତିଷ୍ଠା କରିବା ସହ ଆନ୍ଦୋଳନର ରୂପ ଦେଇଥିଲେ ।

 

ପ୍ରତିବାଦ :

 

ଭୀମ ଭୋଇ ଯେଉଁ ସମୟଖଣ୍ଡରେ ସ୍ତୁତି ଚିନ୍ତାମଣି ଲେଖି ରାଜନ୍ୟବର୍ଗର ଶୋଷଣ ତଥା ଜାତିପ୍ରଥା ଏବଂ “ନାରୀ ଓ ପୁରୁଷ ଦୁଇଟି ଜାତି” ବୋଲି ରଣହୁଙ୍କାର ଦେବାବେଳେ ମହାତ୍ମା ଫୁଲେ “ଗୋଲମ ଗିରି”' ରଚନା କରି ପେଶବାମାନଙ୍କ ଶୋଷଣ ଓ ଅତ୍ୟାଚାରର ଘୋର ପ୍ରତିବାଦ କରିଥିଲେ । ନାରୀ ସ୍ଵାଧୀନତା, ସବୁ ଜାତିର ସମାନ ଅଧିକାର କଥାକୁ ଉଠେଇ ସରକାର ପାଖରେ ଦାବିପତ୍ର ଦେଇଥିଲେ । ଠିକ୍‍ ସେମିତି ବିର୍ସା ମୁଣ୍ଡା ନିଜ ଆନ୍ଦୋଳନର ଆଚାର ସଂହିତା ଲେଖି ନାରୀ ପୁରୁଷମାନଙ୍କୁ ଏକାଠି କରି ଜମି, ଜଳ, ଜଙ୍ଗଲକୁ ନେଇ ବ୍ରିଟିଶ ସରକାର ତଥା ମହାଜନ ଓ ଜମିଦାରଙ୍କ ବିରୁଦ୍ଧରେ ସଶସ୍ତ୍ର ଯୁଦ୍ଧର ଡକରା ଦେଇଥିଲେ ।

 

ରାଜାଙ୍କୁ ଉପଦେଶ ଦେବା ଢଙ୍ଗରେ ଭୀମ ଭୋଇ କହୁଛନ୍ତି :

 

ରାଜାମାନେ ରାଜନୀତି କରୁଥାନ୍ତୁ

ଦଣ୍ଡ ସିଂହାସନେ ବସି

ଦୋଷକୁ ଚାହିଁ ବୁଝାମଣା କରନ୍ତୁ

ହୃଦରେ ମହିମା ଘୋଷି

ଦୋଷକୁ ଚାହିଁ ଦଣ୍ଡ ନ ଦେଲେ

କି ରୂପେ ଚାଲିବ ପୃଥ୍ଵୀ

ଇତର ପରଜା କି ରୂପେ ମଣିବେ

ବଣା ହୋଇଯିବ ମତି ।

(ସ୍ତୁତି ଚିନ୍ତାମଣି)

 

ବ୍ରିଟିଶ ସରକାର ତଥା ମହାଜନମାନଙ୍କୁ ବିର୍ସା କ୍ରୋଧଭରା ଆନ୍ଦୋଳନ କରି ଥରହର କରିଦେଉଥିବାବେଳେ ସେଇ ସମୟରେ ଭୀମ ଭୋଇ ଲେଖୁଛନ୍ତି :

 

ନବଖଣ୍ଡ ମହୀ ଥାଳି ପ୍ରାୟେ ହୋଇ

ହେଜିଲେ ମନକୁ ଆସେ

ଏ ମୋର ନେତ୍ରକୁ ଛପ୍‌ଣା କୋଟି ଜୀବ

ତିରଣ ପରା ଏ ଦିଶେ

ଏକା ଦିବସକେ କ୍ଷଣକ ଭିତରେ

ଦ୍ୟନ୍ତି ପୃଥ୍ଵୀ ଲେଉଟାଇ

ଦନ୍ତ କାମୁଡ଼ି କିସ ବୁଦ୍ଧି କରିବି

ଶ୍ରୀଗୁରୁଙ୍କ ଆଜ୍ଞା ନହିଁ ।

 

ବିର୍ସା ମୁଣ୍ଡା ଭୀମ ଭୋଇ, ଜ୍ୟୋତି ରାଓ ଫୁଲେ, ଏ ତିନିଜଣ ଏକା କାଳଖଣ୍ଡରେ ମଣିଷର ସମାନତା, ଜମି, ଜଙ୍ଗଲ ଜନଗଣଙ୍କ ସମାନ ଅଧିକାର ଉପରେ ଲଢ଼ିବା ହେତୁ ତତ୍କାଳୀନ ସମାଜ ତଥା ଶାସକଙ୍କ ଦ୍ଵାରା ଦଣ୍ଡିତ ମଧ୍ୟ ହୋଇଥିଲେ ।

 

ବିର୍ସା ମୁଣ୍ଡା ପୁରୀ ଜଗନ୍ନାଥ ମନ୍ଦିରକୁ ଆସିଥିବାର ସୂଚନା ଅଛି । ମୁଣ୍ଡା ସମ୍ପ୍ରଦାୟ ବିଚାର କରୁଥିଲେ ଯେ, ଜଗନ୍ନାଥ ହେଉଛନ୍ତି ତାଙ୍କର ପୂର୍ବଜ ତେଣୁ ପ୍ରତିବର୍ଷ ଆସୁଥିଲେ, ପୂଜାପାଠ କରୁଥିଲେ । ବ୍ରାହ୍ମଣମାନଙ୍କ ଆଧିପତ୍ୟ ବିସ୍ତାର ହେବାପରେ ସେମାନେ ଆଉ ଆସିଲେ ନାହିଁ । ଦ୍ୱିତୀୟ ବାର ଏକାଏକା ଆସି ୧୫ ଦିନ ରହି ଏଇଠି ତପସ୍ୟା କରିଥିଲେ ଏବଂ ପରେ ଫେରିଯାଇ ବ୍ରାହ୍ମଣବାଦ, ବଳିପ୍ରଥା ଇତ୍ୟାଦି ଭଳି କୁସଂସ୍କାର ତଥା ହିଂସା ବିରୁଦ୍ଧରେ ଲୋକଙ୍କୁ ସଚେତନ କରେଇଥିଲେ ।

 

ହିଂସା ତଥା କୁପ୍ରଥାର ବିରୁଦ୍ଧରେ ଅତି ନିଷ୍ଠାପର ଭାବରେ ଭୀମ ଭୋଇ ତଥା ଫୁଲେ ମଧ୍ୟ ପ୍ରଚାର କରିଥିଲେ ।

 

୧୮୮୧ ମସିହାରେ ମହିମା ଧର୍ମାବଲମ୍ବୀମାନେ ବି ଜଗନ୍ନାଥ ମନ୍ଦିରକୁ ବଳପୂର୍ବକ ପ୍ରବେଶ କରିବାର ମଧ୍ୟ ପ୍ରମାଣ ରହିଛି ।

ପ୍ରତିବାଦର ପରିଣାମ :

ସବୁ ନିଷ୍ଠାପର ଉଦ୍ୟମର ପରିଣାମ କେଉଁଠି ନା କେଉଁଠି ଠିଆହୋଇଥାଏ ବୋଲି ଛୋଟନାଗପୁର ଟେନାନ୍ସୀ ଆକ୍ଟ୧୯୦୮ ସମସ୍ତଙ୍କୁ ଆଶ୍ଵାସନା ସହ ପ୍ରମାଣିତ କରିଦେଇ ସାରିଛି । ବିର୍ସାଙ୍କ ଦେହାବଶାନର ଆଠବର୍ଷ ପରେ ବ୍ରିଟିଶ ସରକାର ଛୋଟନାଗପୁର ଟେନାନ୍ସୀ ଆକ୍ଟ-୨୦୦୮ ପାରିତ କରିଥିଲେ । ଏ ଆକ୍ଟ ପାରିତ ହେବାର ଉଦ୍ଦେଶ୍ୟ ଯେ, ଆଦିବାସୀମାନଙ୍କର ଜମିର ମାଲିକାନାକୁ ଅଣ-ଆଦିବାସୀଆାନଙ୍କ ପାଖରୁ ହସ୍ତାନ୍ତର ହୋଇପାରିବ ନାହିଁ । ଏ ନିୟମ ବଳରେ ଜମିଦାର ତଥା ମହାଜନମାନଙ୍କ ମାଲିକାନାରେ ଥିବା ଜଙ୍ଗଲ, ଜମି ପୁଣି ଫେରିଆସିଥିଲା ଆଦିବାସୀ ମୁଣ୍ଡା ସମ୍ପ୍ରଦାୟର ଲୋକମାନଙ୍କ ପାଖକୁ ।

ମୁଣ୍ଡାମାନେ ନିଜ ସମ୍ପ୍ରଦାୟ ଭିତରେ, ନିଜର ସଂସ୍କୃତିକୁ ଓ ପରମ୍ପରାକୁ ନେଇ ଶାନ୍ତିରେ ଜୀବନଯାପନ କରୁଥିଲେ । ବ୍ରିଟିଶ ସରକାରର ଜଙ୍ଗଲ ବିଭାଗ ୧୮୬୮ ମସିହାରେ ଏକ ନିୟମ ପାରିତ କଲେ । ଏଇ ନିୟମ କାର୍ଯ୍ୟକାରୀ ହେବାଫଳରେ ଆଦିବାସୀମାନେ ଜଙ୍ଗଲ ଉପରେ ନିଜର ଅଧିକାର ହରେଇଲେ । ଏପରିକି ଜାଳେଣି କାଠ, ଜଙ୍ଗଲଜାତ ଦ୍ରବ୍ୟ, ଚାରଣ ଭୂମି ଉପରେ କଟକଣା ଲାଗିଲା । ୧୮୯୩-୯୪ ବେଳକୁ ଗାଁର ଅନାବାଦୀ, ପଡ଼ିଆ ଜମି ଯାହାକି ସରକାରର ମାଲିକାନାରେ ଥିଲା ତାହା ସଂରକ୍ଷିତ ଜଙ୍ଗଲ ହୋଇଗଲା । ଏହା ଫଳରେ ଛୋଟନାଗପୁର ଅଞ୍ଚଳରେ ବିଭିନ୍ନ ପ୍ରକାର ବିଦ୍ରୋହ ଆଦିବାସୀମାନଙ୍କଦ୍ଵାରା ଲାଗି ରହିଲା । ଛୋଟନାଗପୁର ଟେନାନ୍ସୀ ଆକ୍ଟ-୧୯୦୮ ପାରିତ ହେଲାପରେ ଏହାର ପରିସମାପ୍ତି ଘଟିଲା ।

 

୨୦୧୬ ମସିହା ମେ’ ମାସରେ କେନ୍ଦ୍ର ସରକାର ଛୋଟନାଗପୁର ଟେନାନ୍ସୀ ଆକ୍ଟ-୧୯୦୮କୁ ଅର୍ଡ଼ିନାନ୍ସ ମାଧ୍ୟମରେ ସଂଶୋଧନ କଲେ ଓ ଆଦିବାସୀମାନଙ୍କ ଜମିକୁ ବ୍ୟବସାୟିକ ଭିତ୍ତିରେ ମଧ୍ୟ ବ୍ୟବହୃତ ହୋଇପାରିବ ବୋଲି ଆଦେଶ ଜାରିକଲେ । ଫଳରେ ଆଦିବାସୀମାନଙ୍କ ଜମି ସେଇଦିନରୁ ଅଣ-ଆଦିବାସୀମାନଙ୍କ ପାଖକୁ ସହଜରେ ମାଲିକାନା ପରିବର୍ତ୍ତନ ହେବାର ବାଟ ଫିଟିଲା ।

 

୨୦୧୭ ମସିହାରେ ଶ୍ରୀଯୁକ୍ତ ରଘୁବର ଦାସଙ୍କ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀତ୍ଵ କାଳରେ ଏ ଆକ୍ଟକୁ ପୁନଃ-ସଂଶୋଧନ କରି ନିୟମ ଗୃହୀତ ହେଲା ଯେ, ଆଦିବାସୀମାନଙ୍କ ଜମି ଅଣ-ଆଦିବାସୀମାନଙ୍କ ପାଖକୁ ସହଜରେ ହସ୍ତାନ୍ତର ହେଇ ଅଣ-କୃଷିଭିତ୍ତିକ କାମରେ ମଧ୍ୟ ଉକ୍ତ ଜମିକୁ ବ୍ୟବହାର କରାଯାଇ ପାରିବ ।

 

ଏ ସମସ୍ତ ଅର୍ଡ଼ିନାନ୍ସକୁ ଅନୁଧ୍ୟାନ କଲେ ଅନୁମାନ ହୁଏ ଯେ, ଆଦିବାସୀମାନଙ୍କ ହାତରେ ବ୍ରିଟିଶ ରାଜରେ ପରିକଳ୍ପିତ ତଥା ପ୍ରୟୋଗ ହୋଇଥିବା ନିୟମ ବି ସ୍ଵାଧୀନ ଦେଶର ସରକାରକୁ ସୁହାଇଲା ଭଳି ମନେହୁଏ ନାହିଁ । ଜଙ୍ଗଲ, ଜମି ଉପରେ ଆଦିବାସୀମାନଙ୍କର ଅଧିକାର ବ୍ରିଟିଶ ରାଜରେ ଯାହା ଥିଲା ମୋଟାମୋଟି ବର୍ତ୍ତମାନ ବି ତାହା ରହିଛି ।

 

ଶେଷ କଥା :

 

ବିର୍ସା ମୁଣ୍ଡାଙ୍କ ଅନ୍ୟ ନାମ ବିପ୍ଲବ ବା ଉଲଗୁଲାନ୍‍ । ସିଏ ଜନ୍ମରୁ ବିପ୍ଲବୀ ଏବଂ ମହାନ ସଂଗ୍ରାମୀ ଥିଲେ । ବିର୍ସାଙ୍କ ଭଳି ବ୍ୟକ୍ତିତ୍ଵ ବିରଳ । ଯେଉଁ ଅଞ୍ଚଳର ଜଙ୍ଗଲ ମାଟି ଓ ମେହେନତି ମଣିଷର ଅଧିକାର ଲାଗି ତାଙ୍କର ବିପ୍ଳବ ଜାରି ରଖିଥିଲେ “ଉଲଗୁଲାନ୍‍” ନାମରେ ସେଇ ଅଞ୍ଚଳରେ ଭାରତବର୍ଷର ଖଣି ଖାଦାନ ଭରପୁର ହୋଇ ରହିଛି । ସେଇ ଖଣି ଖାଦାନ ଭିତରୁ ଝକଝକ କରି ଭାରତବର୍ଷର ସମସ୍ତ ବିପ୍ଲବୀ ପାଇଁ ଆଦର୍ଶ ପାଲଟି ଆଲୁଅ ଦେଖେଇଥିବା ବିର୍ସା ବାସ୍ତବରେ Black Diamond ବା ହୀରା ଅଟନ୍ତି ।

 

ହୁଏତ ୭୦ ଦଶକର ଆଦ୍ୟକାଳର କଥା । ମୋ ଗାଁ ସ୍କୁଲରେ ମୋର ଦ୍ୱିତୀୟ କି ତୃତୀୟ ଶ୍ରେଣୀ ହୋଇଥିବ ବୋଧେ । ସେତେବେଳେ କଳାହାଣ୍ଡି ଜିଲ୍ଲାସ୍ଥିତ ଆମ ଗାଁ ଚାରିଆଡ଼େ ଜଙ୍ଗଲ ଥିଲା । ଆମେ ଯେଉଁ ଜଙ୍ଗଲକୁ ଆମର କହୁଥିଲୁ ସେଇ ଜଙ୍ଗଲର ମହୁଲ, ଚାଆଁର, ଅରଖ, ଧଉରା, ଇତ୍ୟାଦି ବିଭିନ୍ନ ଗଛ ଓ ଗୋଛାମାନଙ୍କୁ ମୋର ମା’ ଓ ବାପା କାଟି ଜମି ତିଆରି କରିବାର ମୁଁ ଦେଖିଛି । ସେତେବେଳେ ସରକାରଙ୍କଦ୍ଵାରା ମୃତ୍ତିକା ସଂରକ୍ଷଣ ବିଭାଗ ଦ୍ଵାରା ମୁର୍ଗା ଗଛ ଲଗେଇବା ପାଇଁ, ଜମି ଅକ୍ତିଆର କରାଗଲା । ମୋର ମା’ ଓ ବାପା ଯେଉଁ ଜଙ୍ଗଲକୁ କାଟି ଜମି ତିଆରି କରିଥିଲେ ସେଇ ଜମିକୁ ସରକାର ଛଡ଼େଇ ନେଇ ମୁର୍ଗା ଗଛ ଲଗେଇଲେ । ସେ ମୁର୍ଗାମାନ ଆଜି ବି ଲାଗିଅଛି । ସେତେବେଳେ ମୋର ସ୍କୁଲ ପାଦ ମାଡ଼ି ନଥିବା ମାଁ’ ମୃତ୍ତିକା ସଂରକ୍ଷଣ ବିଭାଗର କର୍ମଚାରୀଙ୍କ ସହ ହାତାହାତି, ବାଡ଼ିଠେଙ୍ଗା ଧରି, ଟେକା ପଥର ମାରି ଜମିକୁ ସରକାରକୁ ନଦେବା ପାଇଁ ଝଗଡ଼ା କରିବାର ମୁଁ ଦେଖିଛି । ସ୍ଵାଧୀନ ଭାରତରେ ତା’ର ଜମିକୁ ସରକାର ତା’ର ହାତକୁ ନ ଦେବାର ପ୍ରତିବାଦର ମୁଁ ନିଜେ ସାକ୍ଷୀ ଅଛି । ୧୮୯୫ ମସିହା ଅର୍ଥାତ୍‍ ମୋର ମା’ ର ପ୍ରତିବାଦ କରୁଥିବାର ୭୦-୮୦ ବର୍ଷ ପୂର୍ବେ ବିପ୍ଲବୀ ବିର୍ସାଙ୍କ ପ୍ରତିବାଦ ପୁଣି ବ୍ରିଟିଶ ରାଜ ଭଳି ପରାଧୀନ ମାଟିରେ ଆନ୍ଦୋଳନ କେତେ ତୀବ୍ର ଓ ପ୍ରଖର ନଥିବ, ତାହା ମୁଁ କିଛି କିଛି ଅନୁଭବ କରିପାରୁଛି ।

 

ବିର୍ସାଙ୍କ “ଉଲଗୁଲାନ୍‍”ର ନିଆଁ ଯେ ଭାରତବର୍ଷର ପ୍ରତି ଗାଁରେ ପ୍ରତି ଦଳିତ ତଥା ଆଦିବାସୀ ଘରେ କୌଣସି ନା କୌଣସି ରୂପରେ ଆଜିବି ଜଳୁଛି, ଏଥିରେ ସନ୍ଦେହ ନାହିଁ ।

Image